ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ: ବଣୁଆଙ୍କୁ ଆବାସ ଯୋଜନା ସାତସପନ
ଭଦ୍ରକ,ବନ୍ତ:30/06/2021(ରିପୋର୍ଟ : ସମୀର ମହାନ୍ତି): ସରକାର ଙ୍କ ଯୋଜନା ସାଜିଛି ସତସପନ। ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗରୀବ ଓ ନିରାଶ୍ରୟ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ତାଙ୍କ ଯୋଜନା ଗୁଡ଼ିକ କର ସଫଳ ରୂପାୟନ ହେଉନଥିବା ପରିଲକ୍ଷିତ ହେଉଛି। ପ୍ରକୃତ ହିତାଧିକାରୀ ଏହାର ସୁବିଧା ପାଇପାରୁନଥିବା ବେଳେ ବଢିଚାଲିଛି ଦୁର୍ନୀତିର ପରିମାଣ। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ସାହୀର ବଣୁଆ ମଉସା ଙ୍କ ର । ବଣୁଆ ମୁଣ୍ଡା ଜଣେ ଜନଜାତି ସଂପ୍ରଦାୟର ବ୍ୟକ୍ତି ହେବା ସହ ଅତ୍ୟନ୍ତ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୩ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ଦିନମଜୁରିଆ ହିସାବରେ କାର୍ଯ୍ୟକରି ସେଥିରେ ତାଙ୍କ ପରିବାର ଚଳାଇଥାନ୍ତି । ପ୍ରତିଦିନ ଦୁଇ ମୁଠା ପେଟ ପୁରା ଦାନା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇପାରେ ନାହିଁ । ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ରେସନ କାର୍ଡ଼ ମାଧ୍ୟମରେ କେବଳ ସରକାରୀ ସହାୟତା ତାଙ୍କ ପାଇଁ ସୀମିତ । ସେ ମୋ କୁଡ଼ିଆ ପାଇବା ପାଇଁ ବ୍ଲକ୍ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଅଥଚ ଏହା ତାଙ୍କ ଭାଗ୍ୟରେ ଆଜିଯାଏ ଜୁଟି ପାରି ନାହିଁ । ସୂଚନା ଅନୁଯାୟୀ;୨୦୨୦-୨୧ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକାଶିତ ହିତାଧିକାରୀ ତାଲିକାରେ ବଣୁଆଙ୍କ କ୍ରମିକ ସଂଖ୍ୟା ୪୭ ଏବଂ ଅଗ୍ରାଧିକାର ଭିତ୍ତିରେ ମିଳିଥିବା କ୍ରମିକ ସଂଖ୍ୟା ୯ଥିବାବେଳେ ତାଙ୍କ ଆଇଡ଼ି ନଂ୨୫୦୦୧୮୭ ଥିଲା । ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୂମିହିନ ଦର୍ଶାଇ ଏଥିରୁ ବଂଚିତ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ବଣୁଆ ଜଣେ ପଟ୍ଟାଧାରୀ ହିତାଧିକାରୀ, ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଅନୁଯାୟୀ ବଣୁଆଙ୍କ ଖତିୟାନ ନଂ୨୬୩/୬୮ ଅଟେ । ତେଣୁ ସେ ଜଣେ ପଟ୍ଟାଧାରୀ ବ୍ୟକ୍ତି ହୋଇଥିବା ସ୍ଥଳେ ତାଙ୍କୁ କେଉଁ କାରଣରୁ ଭୂମିହିନ ଦର୍ଶାଇ ଆବାସ ଯୋଜନାରୁ ବଂଚିତ କରାଗଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ଏହାର ତଦନ୍ତ କରି ବଣୁଆକୁ ଆବାସ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।
Tags:
Local news