ବ୍ରାହ୍ମଣ ମହାସଂଘ ଓଡ଼ିଶା ତରଫରୁ ରାଜ୍ୟ ସ୍ତରୀୟ କଳା ପ୍ରତିଯୋଗିତା
ଦଶପଲ୍ଲା : - ରାଜ୍ୟବ୍ରାହ୍ମଣ ମହାସଙ୍ଘ ଓଡିଶା ପକ୍ଷରୁ, ସଭାପତି ଚିତ୍ତରଂଜନ ମିଶ୍ରଙ୍କ ଧର୍ମପତ୍ନୀ ସ୍ୱର୍ଗତା ଜ୍ୟୋତ୍ସ୍ନାରାଣୀ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରାଜ୍ୟ ସ୍ତରୀୟ କଳା ପ୍ରତିଯୋଗିତା ଶନିବାର ସନ୍ଧ୍ୟା ୫ ଘଟିକା ସମୟରେ ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ବିଭାଗରେ ୧୭ ଜଣ, ପୁରାତନ ରଚନାରୁ ସଙ୍ଗୀତ ଗାନ ବିଭାଗରେ ୧୪ ଜଣ, ତଥା ଶ୍ରୀମଦ୍ଭଗବଦ୍ ଗୀତାପାଠ ବିଭାଗରେ ୩୦ ଜଣ ପ୍ରତିଯୋଗୀ ରାଜ୍ୟର ବିଭିନ୍ନ କୋଣାନୁକୋଣରୁ ଭାଗନେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାକ୍ତନ ବନପାଳ ନୟାଗଡ ତଥା ବିଶିଷ୍ଟ ବାଲୁକାଶିଳ୍ପୀ ପ୍ରଫୁଲ୍ଲ କୁମାର ଦାଶ ମହୋଦୟ ପ୍ରତିଯୋଗୀ ମାନଙ୍କର ପ୍ରତିଭା ଅନ୍ୱେଷଣ କରିଥିବା ସମୟରେ, ପ୍ରିୟବ୍ରତ ଷଡଙ୍ଗୀ ସଭା ସଞ୍ଚାଳନ କରିଥିଲେ । ସେହିପରି ପୁରାତନ ରଚନାରୁ ସଙ୍ଗୀତ ଗାନ ପ୍ରତିଯୋଗିତାରେ ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀପ୍ରସାଦ ମହାପାତ୍ର ଏବଂ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ତଥା କଳା ଶିକ୍ଷକ ଦେବୀ ପ୍ରସାଦ ଦାଶ ନିର୍ଣାୟକ ଭୂମିକାରେ ଥିବାବେଳେ ସାନୁଜରାମ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଶ୍ରୀମଦ୍ଭଗବତ୍ ଗୀତାପାଠ ପ୍ରତିଯୋଗିତାରେ କେନ୍ଦ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଲୟର ବେଦଭାଷ୍ୟ ଅଧ୍ୟାପକ ଡ଼ଃ. ଦୁର୍ଗା ଶରଣ ରଥ ଓ ପୁରୀ ର ବୈଦିକ ଆଚାର୍ଯ୍ୟ ଡ଼ଃ. ଜଗନ୍ନାଥ ରଥ ପ୍ରତିଯୋଗୀ ମାନଙ୍କର ପ୍ରତିଭାକୁ ପରିଶୀଳନ କରିଥିବା ବେଳେ, ଇଂ. ଜିତେଶ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାସଙ୍ଘ ପକ୍ଷରୁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଅତିଥି, ପ୍ରତିଯୋଗୀ ମାନଙ୍କ ସହ ପ୍ରାୟ ଶତାଧିକ ବ୍ୟକ୍ତି ଅଂଶଗ୍ରହଣକରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ପରିଶେଷରେ ଉପସ୍ଥିତ ସମ୍ପୂର୍ଣ୍ଣ, ସମୁଦାୟକୁ ସଭାପତି ସମ୍ବୋଧିତ କରିବା ସହ ବେଦମନ୍ତ୍ରୋଚ୍ଚାରଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା । ଏହି ପ୍ରତିଯୋଗିତାର ଫଳାଫଳ ଘୋଷଣା ଆସନ୍ତା ସପ୍ତାହରେ ହେବା ସହ , ରାଜ୍ୟସ୍ତରୀୟ କଳାମହୋତ୍ସବରେ କୃତିପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯିବାର ସୂଚନା ଅନୁଷ୍ଠାନର ସଂପାଦକ ସୌମ୍ୟ ରଂଜନ ମହାପାତ୍ର ପ୍ରଦାନ କରିଥିଲେ ।